ପାରାଦୀପର ବାଲିଝରସ୍ଥିତ ଗଣପତି ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅକ୍ଟୋବର ୧୬ ତାରିଖରେ ମହାସମାରୋହରେ ଆୟୋଜିତ ହୋଇଛି ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘Science Exhibition 2026’। “Science is like magic, but real” — ଅର୍ଥାତ୍ ବିଜ୍ଞାନ ହେଉଛି ଏକ ବାସ୍ତବ ଯାଦୁ ଆଭିମୁଖ୍ୟକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଓ ନୂତନ ଜ୍ଞାନକୌଶଳର ପରିଚୟ ଦେଇଛନ୍ତି।

ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ପ୍ରଦର୍ଶନୀରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ବିଭିନ୍ନ ବିଜ୍ଞାନ ମଡେଲ୍ ଓ ନୂତନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପରିବେଶ ସୁରକ୍ଷା, ଡିଜିଟାଲ୍ ଟେକ୍ନୋଲୋଜି ଏବଂ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗକୁ ଆଧାର କରି ପ୍ରସ୍ତୁତ ଏହି ପ୍ରକଳ୍ପଗୁଡ଼ିକ ଅଭିଭାବକ ଓ ଉପସ୍ଥିତ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଅନୁସନ୍ଧାନ ପ୍ରବୃତ୍ତି ଓ ସମସ୍ୟାର ସମାଧାନ କରିବାର ଦକ୍ଷତା ବୃଦ୍ଧି କରିବା। ପୁସ୍ତକରେ ପଢ଼ୁଥିବା ବିଜ୍ଞାନକୁ ବାସ୍ତବ ଜୀବନରେ କିପରି ପ୍ରୟୋଗ କରାଯାଇପାରେ, ତାହା ନିଜ ନିଜ ପ୍ରକଳ୍ପ ମାଧ୍ୟମରେ ଦେଖାଇଥିଲେ ଛାତ୍ରଛାତ୍ରୀ।
ଏଭଳି ପ୍ରଦର୍ଶନୀ ଶିଶୁମାନଙ୍କ ମଧ୍ୟରେ ନୂଆ କିଛି ଶିଖିବା, ପ୍ରଶ୍ନ ପଚାରିବା ଓ ନୂତନ ଉଦ୍ଭାବନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ସହାୟକ ହୋଇଥାଏ। ଗଣପତି ଶିଶୁ ବିଦ୍ୟା ମନ୍ଦିରର ଏହି ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଶିକ୍ଷା ସହିତ ସୃଜନଶୀଳତା ଓ ବୈଜ୍ଞାନିକ ଚିନ୍ତାଧାରାର ଏକ ସୁନ୍ଦର ସମନ୍ୱୟ ପ୍ରଦର୍ଶନ କରିଛି।